ଖ୍ରୀଷ୍ଟୀୟ ଉନବିଂଶ ଶତାବ୍ଦୀର ଆରମ୍ଭରୁ ଇଂରେଜମାନେ ଓଡ଼ିଶାକୁ ଅଧିକାର କଲା ପରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷ ଇଂରେଜ ଶାସନାଧୀନ ହୋଇଗଲା । ଓଡ଼ିଶାରେ ଯଦି ଓ ଇଂରେଜମାନଙ୍କ ବିରୋଧରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର , ସୁରେନ୍ଦ୍ର ସାଏ , ତାପଙ୍ଗ ଦଳବେହେରା ପ୍ରମୁଖ ବିଭିନ୍ନ ସମୟରେ ବିଦ୍ରୋହ କରିଥିଲେ , ତାହା ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଇଂରେଜ ସେନାବାହିନୀ ଦ୍ବାରା ଅବଦମିତ ହୋଇଯାଇଥିଲା । ସୁଚତୁର ଇଂରେଜମାନେ ସୂର୍ଯ୍ୟାସ୍ତ ନିଲାମ ଆଇନ୍ ଦ୍ବାରା ଓଡ଼ିଶାର କୃଷକ ଓ ଜମିମାଲିକଙ୍କ ଜମିକୁ ହସ୍ତାନ୍ତରିତ କରି ନୂତନ ସୃଷ୍ଟ ଅନୁଗତ ଜମିଦାରଙ୍କ ଦାୟିତ୍ବରେ ନ୍ୟସ୍ତ କରିଦେଲେ । ଫଳରେ ଓଡ଼ିଆ ଜାତି ଦାରିଦ୍ର୍ୟ ଭିତରେ ରହି ନାନା କୁସଂସ୍କାରରେ ବୁଡ଼ି ରହିବାକୁ ବାଧ୍ୟ ହେଲା ।
ଏହି ସମୟରେ ଯେଉଁ ରାଜା , ଜମିଦାରମାନେ ରହିଲେ ସେମାନେ ଜନସାଧାରଣଙ୍କ ପ୍ରତି ଅନୁଦାର ଭାବ ପୋଷଣ କଲେ । ନାନା ଅତ୍ୟାଚାର , ଶୋଷଣ , ପୀଡ଼ନ ଭିତରେ ଓଡ଼ିଆ ଜାତି ହାହୁତାଶ ଭିତରେ ଜୀବନ କଟାଇବାକୁ ବାଧ୍ୟ ହେଲା । ଖ୍ରୀଷ୍ଟିୟାନ ମିଶନାରୀମାନେ ୧୮୨ ୨ ମସିହାରୁ । ଓଡ଼ିଶାରେ ମିଶନ ସ୍କୁଲମାନ ପ୍ରତିଷ୍ଠା କରି ଶିକ୍ଷାଦାନ ପାଇଁ ବ୍ୟବସ୍ଥା କଲେ ମଧ୍ୟ ଓଡ଼ିଆମାନେ ସେହିସବୁ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ପଠାଇଲେ ନାହିଁ । ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଭୟ , ଆତଙ୍କ , ଅଶିକ୍ଷା , ଅନ୍ଧବିଶ୍ବାସ ଇତ୍ୟାଦି ଦ୍ବାରା ଓଡ଼ିଆ ଜାତିକୁ ସଂପୂର୍ଣ୍ଣ ଆତ୍ମବିଲୁପ୍ତ କରିଦେଲା । ଏହି ଶତାବ୍ଦୀର ଦ୍ଵିତୀୟାଦ୍ଧର କିଛି କାଳ ପର୍ଯ୍ୟନ୍ତ ମଧ୍ୟ ଜାତିର ନିର୍ବେଦତା ଲାଗି ରହିଲା । ସେହି ନିର୍ବେଦତା ଓ ଆତ୍ମବିଲୁପ୍ତିର ଚରମ ନିଦର୍ଶନ ହେଲା /strong>ନଅଙ୍କ ଦୁର୍ଭିକ୍ଷ ( ୧୮୬୬ )
ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ବେଳକୁ କଲିକତା ଏକ ମୁଖ୍ୟ ସହରରେ ପରିଣତ ହୋଇଗଲା ଓ ସେଠାରେ ଇଂରାଜି ଶିକ୍ଷାର ପ୍ରସାର ଘଟି ନବଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ଘଟିଲା । ଫଳରେ ବଙ୍ଗଳାରେ ରେନେସାଁ ବା ନବଜାଗରଣ ଦେଖାଦେଲା । ରାଜା ରାମମୋହନ ରାୟ ପ୍ରତିଷ୍ଠା କଲେ ବ୍ରାହ୍ମ ଧର୍ମ ( ୧୮୨୮ ) । ଏହି ଧର୍ମ ପିତୁଲାପୂଜା କୁ ବିରୋଧ କରି ଏକେଶ୍ଵର ବ୍ରହ୍ମବାଦ ଉପରେ ଗୁରୁତ୍ବ ଦେଲା । ଏହି ନବଜାଗରିତ ଚେତନାରେ ଯେଉଁ ସବୁ ଆଭିମୁଖ୍ୟ ପ୍ରକାଶ ପାଇଲା , ତାହା ହେଲା ମାନବବନ୍ଦନା , ସମାଜ - ସଂସ୍କାର , ମାତୃଭୂମି ଓ ମାତୃଭାଷା ପ୍ରୀତି , ପ୍ରକୃତି - ପ୍ରୀତି , ନାରୀ ସ୍ବାତନ୍ତ୍ର , ନାରୀଶିକ୍ଷା , ବ୍ୟକ୍ତି - ସ୍ଵାତନ୍ତ୍ର୍ୟ, ଏକ ଈଶ୍ଵର ଭାବନା , ଇତିହାସ ଓ ଐତିହ୍ୟ ପ୍ରତି ଶ୍ରଦ୍ଧା , ବିଜ୍ଞାନ ମନସ୍କତା , ବିଧବା - ବିବାହ ପ୍ରତି ସମର୍ଥନ , ବାଲ୍ୟବିବାହ ବିରୋଧ , ସ୍ଵାଧୀନତାବୋଧ ପ୍ରଭୃତି । ଏହି ସମୟରେ ବଙ୍ଗଳାରେ ନୂତନ ଲେଖକ ଗୋଷ୍ଠୀର ଆବିର୍ଭାବ ଘଟିଲା । ମାଇକେଲ ମଧୁସୂଦନ ଦତ୍ତ , ବଙ୍କିମ ଚନ୍ଦ୍ର , ନବୀନ ସେନ , ହେମଚନ୍ଦ୍ର , ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ଲେଖକମାନେ ବଙ୍ଗଳା ଭାଷାରେ ରଚନା କଲେ ନୂତନ କାବ୍ୟ , କବିତା , ଗଳ୍ପ , ଉପନ୍ୟାସ , ନାଟକ , ପ୍ରବନ୍ଧ ଓ ସମାଲୋଚନା ଇତ୍ୟାଦି । ଓଡ଼ିଶାରେ ୧୮୭୦ ମସିହା ବେଳକୁ ନବଶିକ୍ଷିତ ଗୋଷ୍ଠୀର ହେଲା ଆବିର୍ଭାବ । ବ୍ରାହ୍ମଧର୍ମ ମଧ୍ୟ ଓଡ଼ିଶାରେ ପ୍ରସାରିତ ହେଲା । ପତ୍ରପତ୍ରିକା ପ୍ରକାଶ ପାଇଲା । ନ’ଅଙ୍କ ଦୁର୍ଭିକ୍ଷର ମହାଶ୍ମଶାନ ଭିତରୁ ଓଡ଼ିଆ ଜାତିର ହେଲା ନବଜନ୍ତି । ଓଡ଼ିଆ ଭାଷାକୁ ଓଡ଼ିଶାରୁ ଉଠାଇ ଦେବାର ସରକାରୀ ଆଦେଶନାମା ବିରୋଧରେ ଆରମ୍ଭ ହେଲା ଭାଷା - ସୁରକ୍ଷା - ଆନ୍ଦୋଳନ ( ୧୮୬୯/୭୦ ) ଓଡ଼ିଆ ଭାଷା ମରଣ ସଂକଟରୁ ରକ୍ଷା ପାଇଲା । ଏହି ମାତୃଭାଷା - ପ୍ରୀତିରୁ ଜନ୍ମ ନେଲା ଆଧୁନିକ ଓଡ଼ିଆ ସାହିତ୍ୟ । ଇଂରେଜ - ଶିକ୍ଷା - ପ୍ରାପ୍ତ ତରୁଣ ଶିକ୍ଷିତ ଗୋଷ୍ଠୀଙ୍କ ମଧ୍ୟରୁ କେତେକ ସମାଜ ଓ ମାତୃଭୂମି - ସଚେତନ ଶିକ୍ଷିତ ବ୍ୟକ୍ତି ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରତି ବୀତସ୍ପୃହ ହୋଇ ସୃଷ୍ଟି କଲେ ପାଶ୍ଚାତ୍ୟ ସାହିତ୍ୟ ଆଦର୍ଶରେ ନୂତନ ଓଡ଼ିଆ କାବ୍ୟ , କବିତା , ଗଳ୍ପ , ଉପନ୍ୟାସ , ନାଟକ , ପ୍ରବନ୍ଧ , ରମ୍ୟରଚନା , ଜୀବନୀ , ଆତ୍ମଜୀବନୀ , ଭ୍ରମଣ କାହାଣୀ , ସମାଲୋଚନା ଇତ୍ୟାଦି । ତେଣୁ ଆଧୁନିକ ଓଡ଼ିଆ ସାହିତ୍ୟ ହେଲା ପାଶ୍ଚାତ୍ୟ ସାହିତ୍ୟର ଅମୃତମୟ ଫଳଶ୍ରୁତି । ଯେଉଁ ନବ ରୁଚି ଓ ନବ ଚେତନା ଦେଖା ଦେଲା ତାହାହିଁ ଆଧୁନିକ ଓଡ଼ିଆ ସାହିତ୍ୟର ଆଦିପର୍ବର ହେଲା ପ୍ରଧାନ ଉପଜୀବ୍ୟ । ଯଦିଓ ଆଧୁନିକ ଚେତନାର ଭିନ୍ନ ଭିନ୍ନ ଦିଗ ସାହିତ୍ୟରେ ରୂପ ନେଲା ତଥାପି ଔପନିବେଶିକ ଶାସନ ଭିତରେ ଯେଉଁ ମାନସିକତା ଜନ୍ମ ନେଇଥିଲା ତାହା ଔପନିବେଶିକ ମାନସିକତାରୁ ସଂପୂର୍ଣ୍ଣ ରେ ମୁକ୍ତ ହେଲା ନାହିଁ ଓ ସେହି ସାହିତ୍ୟ ମଧ୍ୟ ସେଥିରୁ ମୁକ୍ତ ନ ହୋଇ , ହୋଇଗଲା ଔପନିବେଶିକ ଆଧୁନିକ ସାହିତ୍ୟ ।
ଆଧୁନିକ ଓଡ଼ିଆ ସାହିତ୍ୟ ୧୮୭୦ ମସିହା ପରଠାରୁ କ୍ରମବିକାଶ ପଥରେ ଗତି କରିଆସିଅଛି । ବିଭିନ୍ନ ସମୟ ର ରୁଚି ଅନୁସାରେ ତା’ର ମଧ୍ୟ ହୋଇଛି ନବକଳେବର । ଆଧୁନିକ ଓଡ଼ିଆ ସାହିତ୍ୟକୁ ଆମେ ନିମ୍ନୋକ୍ତ ପ୍ରକାରେ ବିଚାର କରିପାରିବା । ଯଥା –