Odia.wapka.co

BHASHA | ODIA BHASHA | ODIA.WAPKA.CO

ଭାଷା

ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବ‌ହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବ‌ହର କରନ୍ତି ।ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇ ନ‌ ଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।

‘ଭାଷା’ ହେଉଛି ମଣିଷର ମୁଖ ନିଃସୃତ ନିୟମବଦ୍ଧ ଧ୍ୱନିମାନଙ୍କର ସମାହାର । ଏହା ସାହାଯ୍ୟରେ ସମାଜ ମଧ୍ୟରେ ବସବାସ କରୁଥିବା ମଣିଷ ତା’ର କାର୍ଯ୍ୟ ସମ୍ପାଦନ କରେ । ମନୁଷ୍ୟ ତା’ର ଚିନ୍ତନ ଶକ୍ତି ଯୋଗୁ ଜୀବଜଗତରେ ଶ୍ରେଷ୍ଠ ସ୍ଥାନ ଅଧୁକାର କରିଛି । ସେ ତା ମନର ଭାବନାକୁ ଭାଷା ମାଧ୍ୟମରେ ରୂପ ଦିଏ ଓ ତା’ରି ସାହାଯ୍ୟରେ ବହୁ ବିବିଧ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମର୍ଥ ହୁଏ । ଭାଷା ନଥିଲେ ମଣିଷ ମନର ଭାବକୁ ପ୍ରକାଶ କରିବା ଖୁବ୍ କଷ୍ଟକର ହୁଅନ୍ତା । ଅନ୍ୟ ନିକଟରେ ନିଜ ଚିନ୍ତାର ପରିପ୍ରକାଶ, ପରସ୍ପର ସହ ସମ୍ପର୍କ ପ୍ରତିଷ୍ଠା ଓ ଅନ୍ୟର ଉଦ୍ଦେଶ୍ୟ ଉପଲବ୍ଧି- ଏସବୁ ଭାଷା ଦ୍ୱାରା ସମ୍ଭବ ହୋଇଥାଏ ।
ପୃଥିବୀରେ ବହୁ ପ୍ରକାରର ଭାଷା ପ୍ରଚଳିତ । ଭାରତବର୍ଷରେ ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଭାଷା କୁହାଯାଇଥାଏ । ଇଂରାଜୀ, ଚୀନ୍, ଜର୍ମାନୀ, ଫରାସୀ, ଜାପାନୀ ଓ ହିନ୍ଦୀ ପ୍ରଭୃତି ହେଉଛି ପୃଥିବୀର କେତେଗୁଡ଼ିଏ ମହତ୍ତ୍ବପୂର୍ଣ୍ଣ ଭାଷା । ପ୍ରାଚୀନ କାଳରେ ସମଗ୍ର ଭାରତବର୍ଷରେ ସଂସ୍କୃତଭାଷାର ବିଶେଷ ଆଦର ଥିଲା । ବେଦର ଭାଷା ଥିଲା ବୈଦିକ ସଂସ୍କୃତ । ଏହା ହେଉଛି ସର୍ବ ପୁରାତନ ଭାଷା । ଏହାର ପରବର୍ତ୍ତୀ ସ୍ତର ହେଉଛି ଲୌକିକ ସଂସ୍କୃତ । ସମୟ ସ୍ରୋତରେ ତିନିଗୋଟି ସ୍ତର ଦେଇ ସଂସ୍କୃତଭାଷାର ବିବର୍ତ୍ତନ ଘଟିଲା । ସେହି ତିନିଗୋଟି ସ୍ତର ହେଲା- ପାଲି, ପ୍ରାକୃତ ଓ ଅପଭ୍ରଂଶ ସ୍ତରରୁ ଅନ୍ୟାନ୍ୟ ଆଧୁନିକ ଭାରତୀୟ ଆର୍ଯ୍ୟଭାଷାଗୁଡିକ ପରି ଓଡିଆଭାଷାର ବିକାଶ ଘଟିଛି । ଓଡ଼ିଆଭାଷାର ଏକ ସୁଦୃଢ଼ ପ୍ରାଚୀନ ପରମ୍ପରା ରହିଛି । ଅପଭ୍ରଂଶ ଭାଷାରେ (ପୂର୍ବ ମାଗଧୀ ଅପଭ୍ରଂଶ) ରଚିତ । ଚର୍ଯ୍ୟାଗୀତିକାଗୁଡ଼ିକ ହେଉଛି ଓଡ଼ିଆଭାଷାର ପ୍ରାଚୀନତମ ନମୁନା । ସାରଳା ଦାସଙ୍କ ମହାଭାରତ ରଚନା ବେଳକୁ ଓଡ଼ିଆଭାଷା ପୂର୍ଣ୍ଣ ବିକଶିତ ଅବସ୍ଥା ପ୍ରାପ୍ତ ହୋଇଥିଲା । ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ବଳରାମ ଦାସଙ୍କ ଜଗମୋହନ ରାମାୟଣ, ଉପେନ୍ଦ୍ରଭଞ୍ଜଙ୍କ କାବ୍ୟକବିତା, ମଧୁସୂଦନ ଓ ଫକୀରମୋହନଙ୍କ ରଚନା ସମ୍ଭାରକୁ ଅନୁଧ୍ୟାନ କଲେ ପ୍ରାଚୀନ କାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ଓଡ଼ିଆଭାଷାର ବିକାଶ କ୍ରମକୁ ଉପଲବ୍ଧ କରାଯାଇ ପାରିବ ।

ଓଡ଼ିଆ କଥିତ ଅଞ୍ଚଳ

ଓଡ଼ିଆ ଭାଷା ଓଡ଼ିଶାର ପାଖାପାଖି ଅନେକ ରାଜ୍ୟରେ କୁହାଯାଏ । ପଶ୍ଚିମବଙ୍ଗର ମେଦିନୀପୁର ସମେତ ଆହୁରି ଅନେକ ଅଞ୍ଚଳ, ଝାଡ଼ଖଣ୍ଡର ସିଂହଭୂମି ଜିଲ୍ଲା, ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗର ଓ ବିଶାଖାପଟନମ ଜିଲ୍ଲା, ଛତିଶଗଡ଼ର ପୂର୍ବ ଜିଲ୍ଲା ଓ ନାଗପୁର ଅଞ୍ଚଳରେ ବହୁଳ ଭାବରେ କୁହାଯାଏ ।ଗୁଜରାଟର ସୁରଟ ଭାରତର ଦ୍ୱିତୀୟ ଓଡ଼ିଆ ଭାଷା ବହୁଳ ଅଞ୍ଚଳ। ଏହାଛଡା ବେଙ୍ଗାଳୁରୁ, ହାଇଦ୍ରାବାଦ, ପଣ୍ଡିଚେରୀ, ଚେନ୍ନାଇ,ଗୋଆ, ମମ୍ବାଇ, ଜାମସେଦପୁର,ବରୋଦା, ରାୟପୁର, ଅହମଦାବାଦ, ଦିଲ୍ଲୀ, କଲିକତା,ଖଡ଼ଗପୁର, ଗୁଆହାଟୀ, ପୁନେ ଓ ସିଲଭାସା ଆଦି ସହରରେ ଓଡ଼ିଆ ଭାଷାଭାଷୀ ଲୋକ ଦେଖାଯାଆନ୍ତି।

ଉତ୍ସ

ଓଡ଼ିଆଭାଷାର ମୂଳ ଉତ୍ସ ହେଉଛି ଗୁମ୍ଫାଲେଖ। ୨୦ହଜାର ବର୍ଷ ତଳେ କଳାହାଣ୍ଡିର ଗୁଡହାଣ୍ଡିରୁ ମିଳିଥିବା ଚିତ୍ର, ନୂଆପଡାର ଯୋଗୀମଠରୁ ୧୦ହଜାର ବର୍ଷ ତଳର ମିଳିଥିବା ଚିତ୍ରଲିପି ଓ ଝାରୁସୁଗୁଡାର ବିକ୍ରମଖୋଲରୁ ମିଳିଥିବା ୩୫୦୦ବର୍ଷ ତଳ ଗୁମ୍ଫାଲିପି ହେଉଛି ଓଡ଼ିଆଭାଷାର ମୂଳ ଆଧାର। ଯୋଗୀମଠର ଚିତ୍ରଲିପିରେ ନାଲଙ୍ଗୀ ରଙ୍ଗରେ ଲିଖିତ “ଠ” ଲିପି ଆଜି ପର୍ଯ୍ୟନ୍ତ ଓଡ଼ିଆ ସମେତ ସମସ୍ତ ଭାରତୀୟ ଲିପିମାଳାରେ ଅବିକଳ ଭାବରେ ବ୍ୟବହୃତ।

ଇତିହାସ

ଓଡ଼ିଆ ଏକ ଭାରତୀୟ ଭାଷା । ମୂଳ ଓଡ଼ିଆ ଭାଷା ପାଲି ଓ ଔଡ୍ରୀ ପ୍ରାକୃତରୁ ସିଧା ସୃଷ୍ଟି ହୋଇଥିବା ଭାଷା ବିଜ୍ଞାନୀମାନେ ପ୍ରମାଣ ଦିଅନ୍ତି, ଏହି ଭାଷା ଭାରତରରେ ୨,୫୦୦ ବର୍ଷରୁ ଅଧିକ ବର୍ଷ ଆଗରୁ କୁହାଯାଉଥିଲା ଓ ବୌଦ୍ଧ ଧର୍ମର ତିପିଟକ ଓ ଜୈନ ଧର୍ମଗ୍ରନ୍ଥର ମୂଳ ଭାଷା ଥିଲା । ଓଡ଼ିଆ ବାକି ଭାରତୀୟ ଭାଷାମାନଙ୍କ ତୁଳନାରେ ଖୁବ କମ ପାରସୀ ଓ ଆରବୀ ଭାଷାଦ୍ୱାରା ପ୍ରାଭାବିତ ।

ଇଂଲଣ୍ଡର କୁଇନଟେସେନସିଆଲଙ୍କ ଭାଷା ବିଭାଗର ମତରେ ଧଉଳିଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ବେଳରେ ତିଆରି ଖଣ୍ଡଗିରି ଓ ହାତୀଗୁମ୍ଫାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ଉପରେ ସୂଚନା ଦିଏ। ହାତିଗୁମ୍ଫାର ଶିଳାଲେଖରୁ ଜଣା ଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ମୂଳ ପାଳି ଭାଷାରୁ । ହାତିଗୁମ୍ଫାର ଶିଳାଲେଖରେ ଲେଖା ଭାଷା ହେଉଛି ପାଳି ଆଉ ଲିପି ହେଉଛି ବ୍ରାହ୍ମୀ, ତେବେ ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟ ଭାଷାଠାରୁ ପୁରାତନ। ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା ପାଳି ଭାଷାରେ ଅନେକ ଜାଗାରେ ଶବ୍ଦ ସବୁ ବଦଳି ଯାଇଛି । ତେବେ ଓଡ଼ିଆରେ ବିଦେଶୀ ଭାଷାର ପ୍ରଭାବ ଖୁବ କମ ଦେଖାଯାଏ ଯାହାକି ଅନ୍ୟ ଭାରତୀୟ ଭାଷାଠାରୁ ଖୁବ ଗୌଣ । ପ୍ରଫେସର ଓଲଡେନବର୍ଗଙ୍କ ମତରେ ପାଳି ଭାଷା ହିଁ ଓଡ଼ିଆ ଭାଷାର ମୂଳ ।

ଓଡ଼ିଆ ଶବ୍ଦର ବ୍ୟବହାର ୭ମ ଶତାବ୍ଦୀର ତାଳପତ୍ରରେ ଦେଖିବାକୁ ମିଳେ। ବିଶେଷକରି ନେପାଳ ରାଜଦରବାରରୁ ସଂଗୃହୀତ ବୌଦ୍ଧ ଆଚାର୍ଯ୍ୟଙ୍କଦ୍ୱାରା ରଚିତ ଚର୍ଯ୍ୟାସାହିତ୍ୟ ହେଉଛି ପ୍ରାଚୀନ ଓଡ଼ିଆ ଶବ୍ଦାବଳୀର ଗନ୍ତାଘର। ସେହିପରି ଭଦ୍ରକରୁ ପ୍ରାପ୍ତ ମହାରାଜ ଗଣଙ୍କ ୯ମ ଶତାବ୍ଦୀରେ ଲିଖିତ ଶିଳାଲେଖରେ 'ଦେବ କହି ଭକତି କରୁଣ ବୋଲନ୍ତି ଭୋ କୁମାର ଶେଣ' ହେଉଛି ଓଡ଼ିଆ ଭାଷାରେ ରଚିତ ସ୍ୱୟଂସଂପୂର୍ଣ୍ଣ ଓଡ଼ିଆ ଶବ୍ଦ। ଓଡ଼ିଆ ଶବ୍ଦ କୁମ୍ଭାର /kumbha:rɔ/ର ବ୍ୟବହାର ତମ୍ବାପଟାରେ ଲେଖାଥିବାର ଦେଖିବାକୁ ମିଳେ । ସେମିତି ୯୯୧ ସନର ଲେଖ ଓ ୭୧୫ ସନର ଲେଖରେ ଓଡ଼ିଆ ଶବ୍ଦ ଭିତୁରୁ /bhituru/ ଆଉ ପନ୍ଦର /pɔndɔrɔ/ ପ୍ରଭୃତିର ବ୍ୟବହାର ଦେଖିବାକୁ ମିଳେ।

Selected Odia PDF Book Collection Visit Our New Site: https://odiabook.Co.In 
Odia Portal For Informative Contents Visit: https://blog.odiabook.in Update
HINDI Book PDF Free Collection Download: https://Kosal.In
Hindi Blog For Informative Contents Visit: https://hindione.in Update