Odia.wapka.co

PANCHASAKHA JUGA | ODIA.WAPKA.CO

ପାଞ୍ଚସଖା ଯୁଗ ସାହିତ୍ୟ

ଗଙ୍ଗବଂଶ - ରାଜତ୍ୱ ସମୟରେ ଉତ୍କଳର ସବୁ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲ । ରାଜ ନୀତି , ସାହିତ୍ୟ , ଶିଳ୍ପକଳା ,ଧର୍ମ ପ୍ରଭୃତି କ୍ଷେତ୍ରରେ ଅତି ଉଚ୍ଚ କୋଟୀର ଉନ୍ନତି ସାଧିତ ହୋଇଥିଲ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟବିସ୍ତାର , ଉତ୍କଲ - ଆନ୍ଧ୍ର - କର୍ଣ୍ଣାଟକ-ଦ୍ରାବିଡ଼ ସଂସ୍କୃତିର ଶୋଭନ ମିଶ୍ରଣ , ବିରାଟକାୟ ଜଗନ୍ନାଥ ମନ୍ଦିର ନିର୍ମାଣ , କୋଣାର୍କ ସଦୃଶ ବଶ୍ବବିଖ୍ୟାତ ଶିଳ୍ପକଳା ସୃଷ୍ଟି , ବିଖ୍ୟାତ ଜନମନୋରଞ୍ଜନକାରୀ "ଗୀତଗୋବିନ୍ଦ କାବ୍ୟ" ଓ ଅଲୌକିକ ପାଣ୍ଡିତ୍ୟଭଣ୍ଡାର "ସାହିତ୍ୟ ଦର୍ପଣ" ର ରଚନା , ରାମାନୁଜ - ଜୟଦେବ - ମଧ୍ୱ - ନରହରିତୀର୍ଥ ପ୍ରଭୃତି ଦାର୍ଶନିକ ମତ ପ୍ରଚାରକ ମାନଙ୍କର ଓଡ଼ିଶାକୁ ଶୁଭଆଗମନ ଓ ଅବସ୍ଥିତ ଏହାର ଜ୍ଵଳନ୍ତ ନିଦର୍ଶନ । ଏହି ଯୁଗର ଓଡିଆ ଭାଷାରେ ବିଶିଷ୍ଠ ରଚନା ମିଳି ନଥିଲେ ମଧ୍ୟ ଓଡ଼ିଆ ଭାଷା ପ୍ରତି ଲୋକସାଧାରଣ ଓ ଶାସକମଣ୍ଡଲୀ ବିଶେଷ ଆଗ୍ରହ ଦେଖାଉଥିବା ସୁସ୍ପଷ୍ଟ । ସଂସ୍କୃତ ସାହିତ୍ୟ କ୍ଷେତ୍ରରେ ଓଡ଼ିଶା ବହୁ ଖ୍ୟାତି ଅର୍ଜନ କରିଥିଲା ।

ବଳରାମ ଦାସ , ଜଗନ୍ନାଥ ଦାସ , ଅଚ୍ୟୁତାନନ୍ଦ ଦାସ , ଯଶୋବନ୍ତ ଦାସ ଓ ଅନନ୍ତ ଦାସ ’ – ଏହି ପାଞ୍ଚଜଣ ଭକ୍ତ କବିଙ୍କୁ ପଞ୍ଚସଖା ’ କୁହାଯାଏ । ବଳରାମ ଦାସଙ୍କୁ “ ଦାଣ୍ଡି ରାମାୟଣ ” ଓ ଜଗନ୍ନାଥ ଦାସଙ୍କ ‘ ଓଡ଼ିଆ ଭାଗବତ ’ ସେତେବେଳେ ପ୍ରତି ଗାଁରେ ପଢ଼ା ହେଉଥିଲା । ବିଶେଷ କରି ଭାଗବତଗ୍ରନ୍ଥ ପଠନ ପାଠନର ଗୌରବ ଓ ପ୍ରଭାବ ଜନଜୀବନକୁ ବିଶେଷ ପ୍ରଭାବିତ କରିଥାଏ । ପ୍ରତି ଗାଁ ଓ ସାହିରେ ଭାଗବତଟୁଙ୍ଗି ପ୍ରତିଷ୍ଠିତ ହୋଇଥିଲା ; 'ଭାଗବତଗାଦି ' ସ୍ବୟଂ ଦେବତାଙ୍କର ମାନ୍ୟତା ପାଉଥିଲେ । ସାମାଜିକ ଓ ନୈତିକ ଜୀବନଧାରାକୁ ଏହି ଭାଗବତପାଠ ଭାବରେ ନିୟନ୍ତ୍ରିତ କରୁଥିଲା ।

୦୧.ବଳରାମ ଦାସ

ପ୍ରତାପରୁଦ୍ରୀୟ ଯୁଗର ବଲରାମ ଦାସ ଚୈତନ୍ୟଦେବଙ୍କ ଉତ୍କଳୀୟ ପଞ୍ଚସଖାଙ୍କ ଭିତରୁ ଜଣେ । ବଳରାମ ଦାସ , ଜଗନ୍ନାଥ ଦାସ , ଅଚ୍ୟୁତାନନ୍ଦ ଦାସ , ଯଶୋବନ୍ତ ଦାସ ଓ ଅନନ୍ତ ଦାସ ଚୈତନ୍ୟଙ୍କ ପଞ୍ଚସଖା ନାମରେ ଓଡ଼ିଶାରେ ପରିଚତ । କେତେକ ଗ୍ରନ୍ଥରେ ତାଙ୍କୁ ( ବଳରାମ ଦାସଙ୍କୁ ) ମତ୍ତ ବଳରାମ ବୋଲି କୁହାଯାଇଥିଲେ ମଧ୍ୟ ମତ୍ତ ବଳରାମଙ୍କଠାରୁ ସେ ଭିନ୍ନ । ମତ୍ତ ବଲରାମ ଜଣେ ବଙ୍ଗୀୟ ବୈଷ୍ଣବ ବୋଲି ଜଣାଯାଏ । ମତ୍ତ ବଲରାମ ବଲରାମ ଦାସଙ୍କ ସମସାମୟିକ ଓ ଉଭୟେ ଚୈତନ୍ୟଦେବଙ୍କ ଭକ୍ତ। 
ବଲରାମ ଦାସଙ୍କ ପ୍ରତି ବଂଗୀୟ ବୈଷ୍ଣବମାନଙ୍କର ବେଶି ସମ୍ମାନ ଥିବାର ଜଣାଯାଏ । ବଙ୍ଗୀୟ ବୈଷ୍ଣବ ଭକ୍ତ ଓ କବି ଦେବକୀନନ୍ଦନ ଦାସ ବଲରାମଙ୍କ ସମ୍ବନ୍ଧରେ ଲେଖିଛନ୍ତି--

ବନ୍ଦ ଉଡିୟା ବଳରାମ ଦାସ ମହାଶୟ
ଜଗନ୍ନାଥ ବଳରାମ ଯାର ବଂଶ ହୟ।

ଦାସେ ଗୋପାଳଗୁରୁ ଥିବାରୁ ତାଙ୍କୁ ଲକ୍ଷ୍ୟ କର "ଜଗନ୍ନାଥ ବଲରାମ ଯାର ବଂଶ ହୟ” ଲେଖିଥିବା ଅନୁମାନ କରାଯାଇପାରେ ।

ମହାକବି ଉତ୍କଳ - ବାଲ୍ମୀକି ଶୂଦ୍ର ମୁନି ବଲରାମ ଦାସ ଶୂଦ୍ର , କୂଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସୋମନାଥ ମହାପାତ୍ର , ମାତାଙ୍କ ନାମ ଯମୁନାଦେବୀ ବା ମାୟାଦେବୀ ।

ସମୟ:- ବଳରାମଦାସ କେଉଁ ସମଠାରୁ କେଉଁ ସମୟ ପର୍ଯ୍ୟନ୍ତ ଜୀବିତ ଥିଲେ , ତାହା ଠିକ ରୂପେ କହିବା ପାଇଁ ବିଶେଷ କିଛି ପ୍ରମାଣ ମିଳିନାହିଁ । ଶ୍ରୀଚୈତନ୍ୟଦେବ , ପ୍ରତାପରୁଦ୍ର ଦେବ ଓ ଜଗନ୍ନାଥ ଦାସଙ୍କ ସମସାମୟିକ ଅଚ୍ୟୁତାନନ୍ଦଙ୍କ ‘ ଉଦୟ କାହାଣୀ’ରୁ ବଲରାମ ଦାସ : (ଖ୍ରୀ.୧୪୮୪ରେ ଜନ୍ମଲାଭ କରିଥିବା ଜଣାଯାଏ ।

“ବେଦାନ୍ତସାର ଗୁପ୍ତଗୀତା” ପ୍ରତାପରୁଦ୍ରଙ୍କର ୧୭ଶ ଅଙ୍କରେ ବା ଖ୍ରୀ : ୧୫୦୯-୧୦ ରେ ଲିଖିତ ହୋଇଥିବାର ଅନୁମାନ କରାଯାଏ । ସେହ ବର୍ଷ ପୁରୀ ଜଗନ୍ନାଥ ମନ୍ଦିରର ମୁକ୍ତି ମଣ୍ଡପରେ ରାଜା ଓ ବ୍ରାହ୍ମଣମାନଙ୍କୁ ବଳରାମ ଦାସ ବେଦାନ୍ତତତ୍ତ୍ବ ଶୁଣାଇଥିଲେ । ସେତେବେଳକୁ ଦାସଙ୍କୁ ୨୫ - ୨୬ ବର୍ଷ ବୟସ ହୋଇଥିଲା । ରାମାୟଣ ଲେଖା ଏହାପରେ ୩୧ ବର୍ଷ ବୟସ ସମୟରେ ଅର୍ଥାତ୍ ଖ୍ରୀ : ୧୫୧୬ - ୧୭ରେ ଶେଷ ହୋଇଥିଲା।

ରୁଦ୍ର , ଅଂଶରେ ଗଜପତି, ପ୍ରତାପରୁଦ୍ର ସେ ନୃପତି।
ତାହାର ସପ୍ତଦଶ ଅଙ୍କେ , ମକରମାସ ଶୁକ୍ଳପକ୍ଷେ ।
 (ବେଦାନ୍ତସାର ଗୁପ୍ତଗୀତା)

ସେତେବେଳକୁ ପ୍ରତାପରୁଦ୍ର ଦେବ ଶ୍ରୀ ଚୈତନ୍ୟଦେବଙ୍କୁ ଗୁରୁ ବୋଲ ମାନି ସାରିଲେ ।
ଚୈତନ୍ୟ ଗୁରୁ ଯେ ମୋହର , ପରମ ଗୁରୁ ତୁମ୍ଭେ ମୋର ।

ତାଙ୍କର ଗ୍ରନ୍ଥରେ ସ୍ଵୟଂ ଜଗନ୍ନାଥ ବଲରାମ ଦାସଙ୍କୁ ଗୀତାର୍ଥ କହିବା ପ୍ରସଙ୍ଗକୁ ଦୃଢୀଭୁତ କରିବା ପାଇଁ ଗ୍ରନ୍ଥ ରେ କବି ଏକାଧିକବାର ସ୍ୱୀକାର କରିଛନ୍ତି ।
ଦାଣ୍ଡି ରାମାୟଣ ବଳରାମ ଦାସ "ବିପ୍ରଙ୍କ ମୁଖ"ରୁ ଶାସ୍ତ୍ର ପୁରାଣ ଶୁଣି ରାମାୟଣ ଲେଖିବାର ସଂକଳ୍ପ କଲେ । ଜଗନ୍ନାଥଙ୍କ ଆଜ୍ଞାରୁ ସେ ଗ୍ରନ୍ଥଲେଖା ଆରମ୍ଭ କଲେ ।

ଶାସ୍ତ୍ର ପୁରାଣ ଶୁଣିଲି ମୁହିଁ ବିପ୍ର ମୁଖେ , 
ତେଣୁ ସେବାକରେ ତୋ ଚରଣେ ଆତ୍ମସୁଖେ ।....
ଶୁଣି - ସୁପ୍ରସନ୍ନ ମୋତେ ହେଲେ ଜଗନ୍ନାଥ,
ହୃଦୟେ ପ୍ରସନ୍ନ ହେଲେ ଶଙ୍ଖଚକ୍ରହସ୍ତ।
ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ଶିରରେ ମୁଁ ଧରି ,
ଗ୍ରନ୍ଥ ବଖାଣିବା ଇଚ୍ଛା ଆଦ ଅନ୍ତ କରି । 
( ଆଦ୍ୟକାଣ୍ଡ )
ରାମାୟଣ ଲେଖିବା ବେଳକୁ କବିଙ୍କୁ ମୋଟ ତିରିଶ ବର୍ଷ ବୟସ ହୋଇଥିଲା ।

୦୨.ଅତିବଡ଼ି ଜଗନ୍ନାଥ ଦାସ ଗୋସ୍ୱାମୀ

ଓଡ଼ିଆ ସାହିତ୍ୟରେ ଭକ୍ତକବି ଜଗନ୍ନାଥ ଦାସଙ୍କ ସ୍ଥାନ ଅତି ଉଚ୍ଚ । ତାଙ୍କର ଓଡ଼ିଆ ଭାଗବତ ଦୀର୍ଘ ଚାରିଶତ ବର୍ଷ ହେଲା ଓଡ଼ିଆ ସାହିତ୍ୟର ମେରୁଦଣ୍ଡକୁ ରକ୍ଷା କରିଛି ଏବଂ ଓଡ଼ିଆ ଜାତିର ଆଧ୍ୟାତ୍ମିକ ଜୀବନଲତାକୁ ଶୀତଲ ଜଳସେଚନ ଦ୍ବାରା ପଲ୍ଲବିତ କରି ରଖିଅଛି । ଓଡିଆ ଜାତି ପକ୍ଷରେ ଜଗନ୍ନାଥ ଦାସ ଜାତିର ଜଣେ ନିର୍ମାତା ।

ଏହି ମହାପୁରୁଷଙ୍କ ଜୀବନୀ ସମ୍ବନ୍ଧରେ ତାଙ୍କ ନିଜ ଗ୍ରନ୍ଥମାନଙ୍କରୁ ବେଶି କିଛି ଉପାଦାନ ମିଲୁନାହିଁ । କେବଳ ବଙ୍ଗୀୟ ବୈଷ୍ଣବ ଗ୍ରନ୍ଥ , ଦୀବାକର ଦାସଙ୍କ "ଜଗନ୍ନାଥ ଚରିତାମୃତ" , ଈଶ୍ୱର ଦାସଙ୍କ "ଚୈତନ୍ୟ ଭାଗବତ" ଓ ଆଉ କେତେକ ଓଡ଼ିଆ ଗ୍ରନ୍ଥରେ ତାଙ୍କ ସମ୍ବନ୍ଧରେ ବହୁତ ତଥ୍ୟ ମିଲେ । ଦିବାକର ଦାସଙ୍କ " ଜଗନ୍ନାଥଚରିତାମୃତ" ଜଗନ୍ନାଥ ଦାସଙ୍କ ଜୀବନୀ ସମ୍ବନ୍ଧରେ ଗୋଟିଏ ପ୍ରଧାନ ଗ୍ରନ୍ଥ ; ଅତିବଡ଼ୀ ସମ୍ପ୍ରଦାୟ ଦ୍ଵାରା ଏହା ଏକ ପ୍ରାମାଣିକ ଗ୍ରନ୍ଥରୂପେ ଗୃହୀତ ହୋଇଥାଏ ।

ଜଗନ୍ନାଥ ଦାସ ଖ୍ରୀ : ୧୪୮୬ - ୮୭ରେ ଜନ୍ମଗହଣ କରିଥିବା ଅନୁମିତ ହୁଏ । ଶ୍ରୀଚୈତନ୍ୟ ଓଡ଼ିଶାକୁ ସର୍ବପ୍ରଥମେ ଖ୍ରୀ : ୧୫୦୫ରେ ( ମତାନ୍ତରେ ୧୫୧୦)ରେ ଆଗମନ କରିଥିଲେ । ସେହି ସମୟରେ ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ବଟଗଣେଶଙ୍କ ସମ୍ମୁଖରେ ଜଗନ୍ନାଥ ଦାସ ଭାଗବତ ପାଠ କର ଉତ୍ତମରୂପେ ବ୍ୟାଖ୍ୟା କରୁଥିବା ବେଲେ ଚୈତନ୍ୟଦେବ ତାକୁ ଦେଖି ସନ୍ତୋଷଲାଭ କରିଥିଲେ । ସେତେବେଳକୁ ଜଗନ୍ନାଥ ଦାସଙ୍କ ବୟସ ୧୮ ( ଅଠର ) । ଅତଏବ ତାଙ୍କର ଜନ୍ମ ଖ୍ରୀ. ୧୪୮୬ - ୮୭ରେ ହୋଇଥିଲା ବୋଲି ଅନୁମାନ କରିବାହିଁ ଠିକ । ମହାତ୍ମା ଅଚ୍ୟୁତାନନ୍ଦଙ୍କ ‘ଉଦୟକାହାଣୀ’ରୁ ଏହି ବର୍ଷ ସେ ଜନ୍ମଗ୍ରହଣ କରିଥିବା ସମର୍ଥିତ ହେଉଛି ।

ସ୍ବର୍ଗତ ମହାମହୋପାଧ୍ୟାୟ ସଦାଶିବ ମିଶ୍ରଙ୍କ କାବ୍ୟକଣ୍ଠ "ଅତୀବଡି ଜଗନ୍ନାଥ ଦାସ ଗୋସ୍ବାମୀ" ଗ୍ରନ୍ଥରେ ଜଗନ୍ନାଥ ଦାସ ଖ୍ରୀ:୧୪୯୦ ରେ ଜନ୍ମଗ୍ରହଣ କରିଥିଲେ ବୋଲି ଲେଖିଛନ୍ତି । ଦିବାକର ଦାସସ୍ବକୃତ "ଜଗନ୍ନାଥଚରିତାମୃତ" ଗ୍ରନ୍ଥରେ କହିଛନ୍ତି ଯେ ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟଙ୍କ ପ୍ରଥମ ଭେଟ ସମୟରେ ଜଗନ୍ନାଥ ଦାସଙ୍କୁ ୧୮ ( ଅଠର ) ବର୍ଷ ବୟସ ହୋଇଥିଲା। ଜଗନ୍ନାଥ ଦାସଙ୍କୁ ଶ୍ରୀ ଚୈତନ୍ୟ "ଅତୀବଡି" କହି ସମ୍ବୋଧନ କରିଥିଲେ।

ଜଗନ୍ନାଥ ଦାସଙ୍କ ଭାଗବତ ମୂଳ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ। ବହୁ ସ୍ଥାନ ରେ ମୂଳ ଗ୍ରନ୍ଥ ଓ ଦାସଙ୍କ ଗ୍ରନ୍ଥ ଭିତରେ ଓ ଭାବ ପ୍ରକାଶରେ ପ୍ରଭେଦ ଦେଖାଯାଏ।
ମୂଳ ଗ୍ରନ୍ଥର ଶ୍ଳୋକର ଭାବକୁ ଗ୍ରହଣ କରି ତାକୁ ବୁଝାଇ ନିଜ ଟୀକା ସହିତ କହିବାପାଇଁ ସେ ବହୁ ଶ୍ରମ କରଛନ୍ତି। ମୂଳ ଗ୍ରନ୍ଥର ପ୍ରଥମ ସ୍କନ୍ଧର ପ୍ରଥମ ଶ୍ଳୋକ --

ଜନ୍ମାଦ୍ୟସ୍ୟ ଯତୋΣନ୍ୱୟାଦିତରତଶ୍ଚାର୍ଥେଷ୍ୱଜ୍ଞଃ ସ୍ଵରାଟ୍ ।
ତେନେ ବ୍ରହ୍ମ ହୃଦା ଯ ଆଦି କବୟେ ମୁହ୍ୟନ୍ତି ଯତ୍ ସୁରୟଃ।

ତେଜୋବାରିମୃଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋΣମୃଷା ।
ଧାନ୍ୱl ସ୍ବେନ ସଦା ନିରସ୍ତ କୁହୁକଂ ସତ୍ୟ ପରଂ ଧୀମହି । (୧ମ ସ୍କନ୍ଧ)

ଓଡିଆ ଭାଗବତ-୧ମ ସ୍କନ୍ଧ ୧ମ ଅଧ୍ୟାୟ

ନମଇଁ ନୃସିଂହ ଚରଣ । ଅନାଦି ପରମକାରଣ ॥୧
ଯା ବିନୁ ଆଦି ମଧ୍ୟ ଅନ୍ତ । ବିଚାରେ ନ ଘଟେ ଜଗତ ॥୨
ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସ୍ୱତେଜେ ନିତ୍ୟ ପ୍ରକାଶଇ ॥୩
ଆନନ୍ଦମନେ ବେଦସାର । ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର ॥୪
ଯାର ସ୍ୱରୂପ ହୃଦେ ଚିନ୍ତି । ବେଦପୁରୁଷେ ନ ଜାଣନ୍ତି।। ୫
ମୃତ୍ତିକା ବିକାର ଯେମନ୍ତ । ଜଳରେ ହୁଅଇ କଳ୍ପିତ।।୬
ଜଳେ ଉପଳ ବୁଦ୍ଧି କରି । ମୃଗତୃଷ୍ଣାରେ ଯେହ୍ନେ ବାରି॥୭
ରୂପ ଅରୂପ ସ୍ଥିତି ତିନି । ଯାର ଗୋଚରେ ଅନୁମାନି ॥ ୮
ସ୍ୱଭାବେ ନୋହେ ସେ ଏମନ୍ତ । ଏ ସାଂଖ୍ୟଯୋଗୀଙ୍କର ମତ॥୯
ଆତ୍ମ ପ୍ରକାଶେ ସଦା ଥାଇ । ନିରସ୍ତ କୁହକ ବୋଲାଇ ॥୧୦
ସତ୍ୟପରମାନନ୍ଦ ହରି । ଯାହାର ଭାବେ ଭବୁ ତରି ।।୧୧
ଏମନ୍ତେ ସତ୍ୟ ରୂପ ଯାର । ତା ପାଦେ ମୋର ନମସ୍କାର ॥୧୨
ତାର ଚରଣେ ନିତ୍ୟେ ଧ୍ୟାନ । କରି ତରନ୍ତି ସର୍ବଜନ ॥୧୩
ସେ କୃଷ୍ଣପାଦ ହୃଦେ ଧରି । ପ୍ରବନ୍ଧେ ଗୀତନାଦ କରି ।।୧୪
ଅଶେଷ ଜଗତର ହିତେ । ବର୍ଣ୍ଣଇ ଦାସ ଜଗନ୍ନାଥେ ॥୧୫

ମୂଳ ଶ୍ଳୋକରେ "ସାଂଖ୍ୟ" ଶବ୍ଦର ଉଲ୍ଲେଖ ନଥିଲେ ମଧ୍ୟ ଦାସେ ଏ ମତକୁ ଅନୁବାଦରେ ଖଣ୍ଡନ କରି ଲେଖିଛନ୍ତି ।

୦୩.ଯଶୋବନ୍ତ ଦାସ

ଯଶୋବନ୍ତ ଦାସ ଶ୍ରୀଚୈତନ୍ୟ ଦେବଙ୍କ ପଞ୍ଚସଖାଙ୍କ ଭିତରୁ ଜଣେ । ଅନ୍ୟ ଚାରିଜଣଙ୍କ ପରି ସେ ମଧ୍ୟ କବି ଥିଲେ । ଯଶୋବନ୍ତ ଦାସ ଶିବସ୍ୱରୋଦୟ , ପ୍ରେମଭକ୍ତି ଦାରୁବ୍ରହ୍ମଗୀତା , ଗୋବିନ୍ଦଚନ୍ଦ୍ର , ଚଉରାଶି ଆଜ୍ଞା , ହେତୁଉଦୟ ଭାଗବତ ,ରାସ ପ୍ରଭୃତି କେତୋଟି ଗ୍ରନ୍ଥ ରଚନା କରିଛନ୍ତି । ଏହାଛଡ଼ା ଅନେକ ଭଜନ , ମାଲିକା ଓ ପଦ୍ୟ ମଧ୍ୟ ରଚନା କରିଥିବା ଜଣାଯାଏ । ଯଶୋବନ୍ତଙ୍କ ରଚନାମାନଙ୍କ ଭିତରୁ ଅଧିକାଂଶ ମୁଦ୍ରିତ ହୋଇନାହିଁ ।

ଜନ୍ମ ସମୟ : ଯଶୋବନ୍ତ ଦାସ ଚୈତନ୍ୟ ଦେବଙ୍କ ସମସାମୟିକ । ଜନ୍ମ ସମୟ ନେଇ ପରସ୍ପର ବିରୋଧୀ ଉପାଦାନ ଦେଖାଯାଉଥିବାରୁ କେଉଁ ବର୍ଷରେ ସେ ଜନ୍ମଗ୍ରହଣ କରିଥିଲେ ତାହା ଠିକ୍ ଭାବରେ ନିର୍ଦ୍ଧାରିତ ହୋଇ ପାରୁନାହିଁ । ଅଚ୍ୟୁତାନନ୍ଦଙ୍କ "ଉଦୟ କାହାଣୀ" ରେ ଲେଖା ଅଛି ଯେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଯଶୋବନ୍ତ ଦାସ ଓ ଜଗନ୍ନାଥ ଦାସଙ୍କ ଠାରୁ ଚାରିବର୍ଷ ବଡ଼ । ‘ ଉଦୟ କାହାଣୀ ’ ଅନୁସାରେ ଖ୍ରୀ : (୧୪୮୭) ରେ ଯଶୋବନ୍ତଙ୍କ ଜନ୍ମ ।

ଜଗତସିଂହପୁର ଜିଲ୍ଲା ର ଅଢଙ୍ଗ ଗ୍ରାମରେ ଯଶୋବନ୍ତ ଦାସ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଦାସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେହି କେହି କହନ୍ତି। ବାରବର୍ଷ ବୟସରୁ ଦାସେ ସଂସାର ପ୍ରତି ଉଦାସୀନ ଭାବ ପ୍ରକାଶ କରଥଲେ ଓ ବହୁବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଦାସେ ଚୈତନ୍ୟ ଦେବଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ ।

ତାଙ୍କ ରଚନା "ଗୋବିନ୍ଦ ଚନ୍ଦ୍ର" ରେ ହାଡ଼ପା ମୁକ୍ତାଦେବୀଙ୍କୁ କହୁଛନନ୍ତି ~
ତୋ ଗୁରୁ ଗୋରେଖନାଥ ମୋ ଗୁରୁ କାହ୍ନୁପା , 
ସେବାରେ ସୁଦୟା କଲେ ଆମ୍ଭେ ସାର୍ଦ୍ଧ ଶାଖା।

୦୪.ଅଚ୍ୟୁତାନନ୍ଦ ଦାସ

ପଞ୍ଚସଖାଙ୍କ ମଧ୍ୟରୁ ଅଚ୍ୟୁତାନନ୍ଦ ଦାସ ଦ୍ଵାପର ଯୁଗର କୃଷ୍ଣଙ୍କ ସଖା ସୁଦାମଙ୍କ ଅବତାର ଥିବା ଅଚ୍ୟୁତାନନ୍ଦଙ୍କ କେତେକ ଗ୍ରନ୍ଥରେ ଅଛି ଏବଂ ଏହା ହିଁ ତାଙ୍କ ଶିଷ୍ୟସମ୍ପ୍ରଦାୟର ବିଶ୍ୱାସ ।

ଅଚ୍ୟୁତାନନ୍ଦଙ୍କ "ଉଦୟ କାହାଣୀ" ର ବିବରଣୀ ଅନୁସାରେ ପଞ୍ଚସଖାଙ୍କ ଭିତରେ ଅଚ୍ୟୁତାନନ୍ଦ ବୟୋଜ୍ୟେଷ୍ଠ । ତାଙ୍କର ଜୀବନୀ ସମ୍ବନ୍ଧରେ ତାଙ୍କ ନିଜ ଗ୍ରନ୍ଥମାନଙ୍କରେ ପରବର୍ତ୍ତୀ ଅଚ୍ୟୁତାନନ୍ଦମାନେ ବହୁ ଅଂଶ ହସ୍ତକ୍ଷେପ କରିଥିବାରୁ ଏଥିରେ ବହୁ ପରସ୍ପର ବିରୋଧୀ ବିଷୟ ଦେଖାଯାଏ । ପରବର୍ତ୍ତୀ କାଳରେ ଅଚ୍ୟୁତାନନ୍ଦ ନାମଧାରୀ ଅନ୍ୟ କେତେ ଜଣ ଗୁରୁଙ୍କର ଓ କବିଙ୍କ ଜୀବନୀର କେତେକ ବିଷୟ ଏହି ଅଚ୍ୟୁତାନନ୍ଦଙ୍କ ଜୀବନୀ ସହିତ ମିଶ୍ରିତ ହୋଇ ଯାଇଥିବାରୁ ଏହାଙ୍କ ସମ୍ବନ୍ଧରେ ପ୍ରକୃତ ତଥ୍ୟ ମିବା କଷ୍ଟକର ହୋଇପଡ଼ିଛି ।

ଜନ୍ମସ୍ଥାନ : - ~ କଟକ ଜିଲ୍ଲା ର ଚିତ୍ରୋତ୍ପଳା ନଦୀ କୂଳବର୍ତ୍ତୀ ପ୍ରସିଦ୍ଧ ନେମ୍ବାଲ ( ନେମାଲ , ଲେମ୍ବାଲୋ) ଗ୍ରାମର ପ୍ରାୟ ଏକମାଇଲ ଦୂରରେ ଥିବା ତିଲକଣା ଗ୍ରାମରେ ଅଚ୍ୟୁତାନନ୍ଦ ଜନ୍ମଗ୍ରହଣ କରିଥିଲେ । କବିଙ୍କ ଜନ୍ମ ସମୟ (୧୪୮୦-୧୫୦୫ ) ମଧ୍ୟ ରେ ହୋଇଥିଲା।

ତିଳକଣାରେ ମୁଁ ଜନମ ଲଭିଲି କେହି ନ ଚିହ୍ନିଲେ ମୋରେ ।
ଅଗଣିତ ବୋଲି ମାତା ଡାକୁଛନ୍ତି ଅନ୍ନ ନ ମିଳଇ ଘରେ ।( ଶୂନ୍ୟସଂହିତା - ୧୭ ଅ . ) 

ଅଚ୍ୟୁତ ନାମ ଯେ ଅଟଇ ମୋହର ମୋହଠାରୁ ଦୁଃଖୀ ନାହିଁ । 
ଚିତ୍ରୋତ୍ପଳା ନଦୀ କୂଳରେ ଯେ ଗ୍ରାମ ଲେମ୍ବାଲୋ ଅଟଇ । ( ଗରୁଡ଼ଗୀତା)

୦୫.ଶିଶୁ ଅନନ୍ତ ଦାସ

ପଞ୍ଚସଖାର ଅନ୍ୟତମ ସଖା ଶିଶୁ ଅନନ୍ତ ଦାସ ଅର୍ଥତାରେଣୀ , ପ୍ରଶ୍ନୋତ୍ତର , ଅଣାକାର ଶବଦ , ଭକ୍ତିମୁକ୍ତି ଦାୟକ ଗୀତା ପ୍ରଭୃତି କେତୋଟି କ୍ଷୁଦ୍ର ଗ୍ରନ୍ଥ ଲେଖିଥିବା ଜଣାଯାଏ । ତାଙ୍କର ଗ୍ରନ୍ଥଗୁଡ଼ିକ ମୁଦ୍ରିତ ହୋଇନଥିବାରୁ ସେଗୁଡ଼ିକ ସମ୍ବନ୍ଧରେ କିଛି ଜାଣିବାର ସୁବିଧା ହେଉନାହଁ । ଭୁବନେଶ୍ବରସ୍ଥ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ( Odisha State Museum ) ଗ୍ରନ୍ଥାଗାରରେ କେତୋଟି ଗ୍ରନ୍ଥର ପାଣ୍ଡୁଲିପି ଥିବା ଶିଶୁ ଅର୍ଜୁନ ଦାସଙ୍କ କଳ୍ପଲତା କାବ୍ୟର ମୁଖବନ୍ଧର ବିଶିଷ୍ଠ ଐତିହାସିକ ଓ ଗବେଷକ ଶ୍ରୀ କେଦାରନାଥ ମହାପାତ୍ର ପ୍ରକାଶ କରିଛନ୍ତି । ଶିଶୁ ଅନନ୍ତଙ୍କ ଭଣିତା ଏହି ଗ୍ରନ୍ଥମାନଙ୍କରେ ଥିବା ସେଥିରୁ ଜଣାଯାଏ।

ଶ୍ରୀ ଶତ ଅନନ୍ତ ବ୍ରହ୍ମାଣ୍ଡେ ହେଲେ ଭକତ
ଶରଣାଗତ ଅନାଦିଙ୍କ ଚରଣେ ମାଗଇ ଶିଶୁ ଅନନ୍ତ।( ଅର୍ଥତାରେଣୀ)
ସେ ତ କଲା କଥା ଯେ ଅନନ୍ତ ଶିଶୁ କହି
ବିଚାରି ବୁଝିଲେ ଏଥି କିଛି ଧନ୍ଦା ନାହଁ । ( ପ୍ରଶ୍ନୋତ୍ତର )

ବିନ୍ଦୁ ଅକ୍ଷରୁ ହୋଇଲା ଅଶେଷ ।
ଶିଶୁ ଅନନ୍ତ ସେହିଠାରୁ ଆଶ । ( ଅଣାକାର ଶବଦ )

ଭଣଇ ଶିଶୁ ଅନନ୍ତ ସମ୍ପୂର୍ଣ୍ଣରେ ବାଣୀ , 
ଦ୍ବାଦଶ ପଟଲ ଶେଷ କର ଚକ୍ରପାଣି । ( ଭକ୍ତିମୁକ୍ତି ଦାୟକ ଗୀତା)

ଶିଶୁ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ୨୫ ଅଙ୍କରେ ଅର୍ଥାତ୍ ଖ୍ରୀ : ୧୪୮୬ରେ ଜନ୍ମଗ୍ରହଣ କରିଥିବା ଅଚ୍ୟୁତାନନ୍ଦଙ୍କ ‘ "ଉଦୟ କାହାଣୀ" ରୁ ଜଣାଯାଏ।

ଶିଶୁ ଅନନ୍ତ ‘ ଶିଶୁ ' ସମ୍ପ୍ରଦାୟର ପ୍ରତିଷ୍ଠାତା । ପରବର୍ତ୍ତୀ କାଳରେ ଶିଶୁ ଗୋଷ୍ଠୀର କବିମାନେ ଶିଶୁ ଉପାଧି ଧାରଣ କରିଥିବା ଜଣାଯାଏ ; ଶିଶୁ ଅର୍ଜୁନ ଦାସ ( ରାମବିଭା , କଳ୍ପଲତା ) , ଶିଶୁ ବନମାଲୀ ଦାସ (ରାସ ) , ଶିଶୁ ଶଙ୍କର ଦାସ ( ଉଷାଭିଳାଷ ) , ଶିଶୁ ପ୍ରତାପରାୟ ( ଶଶିସେଣା ) , ଶିଶୁ ଦୟାନିଧି ଦାସ ( ଅଶ୍ୱମେଧ ଜଜ୍ଞ)।

ପଞ୍ଚସଖାମାନେ "ହରେ ରାମ ହରେ କୃଷ୍ଣ" ମନ୍ତ୍ରକୁ ଯୁକ୍ତି ଦ୍ବାରା ସିଦ୍ଧାନ୍ତ କରି ଚୈତନ୍ୟଦେବ , ରାଜା ପ୍ରତାପରୁଦ୍ର ଓ ପଣ୍ଡିତ ମାନଙ୍କଦ୍ଵାର ସ୍ଵୀକୃତି କରାଇ ନେଇଥିବା ଅଚ୍ୟୁତାନନ୍ଦଙ୍କ ଲେଖାରୁ ଜଣାଯାଏ । ଓଡ଼ିଶାକୁ ଏହା ଏମାନଙ୍କର ବିଶିଷ୍ଟ ଦାନ । ପଞ୍ଚସଖା - ପ୍ରବର୍ତ୍ତିତ ମନ୍ତ୍ରଟି ଶାସ୍ତ୍ରମାନଙ୍କରେ ମହାମନ୍ତ୍ର ନାମରେ ଖ୍ୟାତ । ଆଜିକାଲି ଏହି ମନ୍ତ୍ରଟିକୁ ISKCON ସଂସ୍ଥା ଦେଶବିଦେଶରେ ପ୍ରଚାର କରୁଅଛି।

ଉତ୍କଳରେ -
ହରେ ରାମ ହରେ ରାମ ରାମ ରାମ ହରେ ହରେ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ।


ବଙ୍ଗରେ–
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ 
ହରେ ରାମ ହରେ ରାମ ରାମ ରାମ ହରେ ହରେ ।

ପଞ୍ଚସଖା ଙ୍କ ସମୟର ଲେଖକ ଙ୍କ କୃତିତ୍ୱ।

ପଞ୍ଚସଖା ଯୁଗର ଦ୍ଵିତୀୟ ପର୍ଯ୍ୟାୟ(ଖ୍ରୀ.୧୬୦୦-୧୬୫୦ ଖ୍ରୀ.)

ପଞ୍ଚସଖାଙ୍କ ପରବର୍ତ୍ତୀ ସମୟର ଲେଖକଙ୍କ କୃତିତ୍ୱ।



https://blog.odiabook.in

https://blog.odiabook.in/2023/08/panchasakha-sahitya-yuga.html

Keywords: odia Pancha sakha yuga, Odia Pancha sakha Sahitya, Odia Bhasa Pancha sakha Sahitya Blog, OdiaBhasaSahitya, Odia Bhasa Sahitya Blogspot dot com. 

ମୁଖ୍ୟ ବିନ୍ଦୁ: ଓଡିଆ ପଞ୍ଚ ସଖା ଯୁଗ, ପଞ୍ଚସଖା ଯୁଗ ଇତିହାସ, ଓଡିଆ ପଞ୍ଚସଖା ଭାଷା ସାହିତ୍ୟ, ଓଡିଆ ଭାଷା ସାହିତ୍ୟ ବ୍ଲଗ, ଓଡ଼ିଆ ଭାଷା ସାହିତ୍ୟ ବ୍ଲଗସ୍ପଟ ଡଟ କମ୍।

Selected Odia PDF Book Collection Visit Our New Site: https://odiabook.Co.In 
Odia Portal For Informative Contents Visit: https://blog.odiabook.in Update
HINDI Book PDF Free Collection Download: https://Kosal.In
Hindi Blog For Informative Contents Visit: https://hindione.in Update